December 24, 2025
Home » ଦହିବରା ଆଳୁଦମର ଜିଆଇ ଟ୍ୟାଗ ପାଇଁ ଉଦ୍ୟମ ହେବ ବ୍ୟାପକ: ଇଂ. ସୋଫିଆ ଫିର୍ଦ୍ଦୋଶ

ଦହିବରା ଆଳୁଦମର ଜିଆଇ ଟ୍ୟାଗ ପାଇଁ ଉଦ୍ୟମ ହେବ ବ୍ୟାପକ: ଇଂ. ସୋଫିଆ ଫିର୍ଦ୍ଦୋଶ

0
WhatsApp Image 2025-03-02 at 12.58.56 PM

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦହିବରା ଆଳୁଦମ ଦିବସ ପାଳିତ

କଟକ :ଆଳୁଦମ ଦହିବରା କେବଳ ଖାଦ୍ୟ ନୁହେଁ, ଏହା ଏକ ଆବେଗ । କଟକର ସ୍ଥାନୀୟ ଖାଦ୍ୟ ଭାବେ ଆରମ୍ଭ ହୋଇଥିବା ନିଆରା ଦହିବରା ଆଳୁଦମ ସମୟକ୍ରମେ କଟକର ସାଂସ୍କୃତିକ ପରିଚୟ ପାଲଟିଯିବା ସହ ଖାଦ୍ୟପ୍ରେମୀମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହାର ପ୍ରସ୍ତୁତି ଶୈଳୀରେ ରହିଛି ଓଡ଼ିଆ ପରମ୍ପରା ଓ ସ୍ୱାଦର ସ୍ୱର୍ଗୀୟ ଅନୁଭବ ଯାହା ଖାଦ୍ୟପ୍ରେମୀଙ୍କୁ କରେ ମନ୍ତ୍ରମୁଗ୍‌ଧ । କଟକ ସବୁ ପିଢୀର ଲୋକଙ୍କୁ ପସନ୍ଦ ଆସୁଥିବା ଏହି ଖାଦ୍ୟ ଏକ ନିତିଦିନିଆ ଆରାମଦାୟକ ଖାଦ୍ୟରେ ପରିଣତ ହୋଇଛି । ଏହି ପରମ୍ପରାକୁ ସମ୍ମାନ ଜଣାଇ ମାର୍ଚ୍ଚ ୧ ତାରିଖରେ ଆରମ୍ଭ କରାଯାଇଛି ଦହିବରା ଆଳୁଦମ୍ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ଦହିବରା ଦିବସ ଭାବେ ପାଳନ କରାଯିବାକୁ ସ୍ଥିର କରାଯାଇଛି ।
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସିଲଭର ସିଟି ବୋଟ କ୍ଲବଠାରେ ଆୟୋଜିତ ଦହିବରା ଉତ୍ସବରେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ ଦହିବରା ଆଳୁଦମ ପ୍ରତ୍ୟେକ କଟକିଆଙ୍କ ପ୍ରିୟ ଖାଦ୍ୟ ବୋଲି କହିଥିଲେ । ଯିଏ ଯେଉଁଠି ଥାଉ ନା କାହିଁକି କଟକକୁ ଆସିଲେ ପ୍ରଥମେ ଦହିବରା ଆଳୁଦମ ହିଁ ଖୋଜିଥାଏ । ଦହିବରା ଏବେ କେବଳ କଟକରେ ସିମୀତ ହୋଇ ରହିନାହିଁ ଏହା ଦେଶ ବିଦେଶରେ ମଧ୍ୟ ନାଁ କରିସାରିଲାଣି । ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ ଦହିବରାକୁ କଟକର ଅନ୍ୟତମ ପରିଚୟ ବୋଲି ଅଭିହିତ କରି ଏହି ଖାଦ୍ୟକୁ ଲୋକପ୍ରିୟ କରାଇବାରେ ହଦିବରା ବ୍ୟବସାୟୀମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ । ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନିମେନ୍ତ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି, ଅନନ୍ୟ ଦହିବରା ଆଳୁଦମକୁ ବିଶସ୍ତରୀୟ ମାନ୍ୟତା ଲକ୍ଷ୍ୟ ନେଇ ଜି ଆଇ ଟ୍ୟାଗ ମିଳିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛିି । ଏହି ଖାଦ୍ୟକୁ ଆହୁରି ଜନାଦୃତ କରିବା ଲକ୍ଷ୍ୟ ନେଇ କଟକ ଦହିବରା ଆଳୁଦମ ଦିବସ ପାଳନ କରାଯାଉଥିବା ଶ୍ରୀ ଶିନ୍ଦେ ସ୍ୱାଗତ ଅଭିଭାଷଣରେ କହିଛନ୍ତି । କଟକ ମହାନଗର ନିଗମ କମିଶନର ଶ୍ରୀ ଅନାମ ଚରଣ ପାତ୍ର କଟକିଆଙ୍କ ପ୍ରାଣରେ ଦହିବରା ଆଳୁଦମର ବାସ୍ନା ଭରି ରହିଛି ବୋଲି କହିଛନ୍ତି ।
ଆଜି ଅନୁଷ୍ଠିତ ହହିବରା ଉତ୍ସବରେ କଟର ବିଭିନ୍ନ ଦହିବରା ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇ ଷ୍ଟଲମାନ ଖୋଲିଥିଲେ । ଦହିବରା ଉତ୍ସବ ଅବସରରେ ସିଲଭର ସିଟି ବୋଟ କ୍ଲବଠାରେ କଟକର ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନଙ୍କର ତାଲିକା, ସେଲଫି ଜୋନ୍‌, ଦହିବରାର ଖାଦ୍ୟ ଗୁଣବତା ଆଦି ପ୍ରଦର୍ଶିତ ହୋଇଥିଲା । ଦହିବରା ଦିବସ ଅବସରରେ ଆଳୁଦମଦହିବରା ଡଟ କମ୍ ନାମକ ଏକ ୱେବ ପେଜ୍ ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ୱେବ ପେଜରେ ଦହିବରା ଆଳୁଦମର ଇତିହାସ, ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରସିଦ୍ଧ ଦହିବରା ଆଳୁଦମ, ଦହିବରା ଆଳୁଦମର ସ୍ୱାସ୍ଥ୍ୟଗତ ଉପାଦେୟତା ଆଦି ସ୍ଥାନ ପାଇଛି ।
କାର୍ଯ୍ୟକ୍ରମ ଅବସରରେ ପ୍ରସିଦ୍ଧ ଦହିବରା ବ୍ୟବସାୟୀ ତ୍ରିନାଥ ଓ ବାବୁଲା, ଫୁଡ ବ୍ଲଗର ରୋହିତ ଶ୍ରୀବାସ୍ତବ ଏବଂ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ । ଦହିବରା ଦିବସର ନୋଡାଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଡଃ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ କାର୍ଯ୍ୟ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *