ଗ୍ରାମ୍ୟ ଅର୍ଥନୀତିର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ନବନିର୍ମାଣ କୃଷକ ସଙ୍ଗଠନ
ସୁବର୍ଣ୍ଣପୁର ଜିଲ୍ଲାରେ ଦେଶୀ ଗୋମାତାଙ୍କ ଜରିଆରେ ଗ୍ରାମ୍ୟ ଅର୍ଥନୀତିକୁ ମଜବୁତ୍ କରିବା ଏବଂ ପ୍ରାକୃତିକ କୃଷିର ପୁନରୁଦ୍ଧାର ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ପ୍ରମୁଖ ଗୋ-ପାଳନ ଯୋଜନା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ରେ ଥିବା କେତେକ ବୈଜ୍ଞାନିକ, ଆର୍ଥିକ ଓ ପ୍ରଶାସନିକ ତ୍ରୁଟି ଯୋଗୁଁ ଜିଲ୍ଲାର ଗରିବ ଓ ପ୍ରକୃତ ଚାଷୀମାନେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ସଙ୍ଗଠନ ଅଭିଯୋଗ କରିଛି। ତେଣୁ ସୋନପୁର ମାଟିରେ ବିଦେଶୀ ଗାଈ ବଦଳରେ ‘ଦେଶୀ ଗାଈ କ୍ରାନ୍ତି’ ମାଧ୍ୟମରେ ପ୍ରାକୃତିକ ଚାଷର ପ୍ରସାର କରିବା ସହ ଜୈବିକ ଚାଷ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ସଙ୍ଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ବିଭିନ୍ନ ବୈଜ୍ଞାନିକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ, ବିଦେଶୀ ପ୍ରଜାତିର ଜର୍ସି କିମ୍ବା ହୋଲଷ୍ଟିନ୍ ଗାଈର ଗୋବର ଓ ଗୋମୂତ୍ର ମାଟିର ଉର୍ବରତା ନଷ୍ଟ କରୁଥିବା ବେଳେ ଭାରତୀୟ ଦେଶୀ ଗାଈର ଗୋବର-ଗୋମୂତ୍ର ଜୈବିକ ଚାଷ ପାଇଁ ଅମୃତ ସଦୃଶ ଅଟେ। ମାତ୍ର ବର୍ତ୍ତମାନର ସରକାରୀ ନିୟମ ଅନୁଯାୟୀ, ଜଣେ ଚୟନ ହୋଇଥିବା ହିତାଧିକାରୀଙ୍କୁ ଗାଈ ପିଛା ପ୍ରାୟ ୯୦,୦୦୦ ଟଙ୍କା ଅଗ୍ରୀମ ନିଜ ପକେଟରୁ ପ୍ରଥମେ ଜମା କରିବାକୁ ପଡ଼ୁଛି। ପଶ୍ଚିମ ଓଡ଼ିଶାର ଜଣେ ସାଧାରଣ କିମ୍ବା ନାମମାତ୍ର ଚାଷୀଙ୍କ ପାଇଁ ଏତେ ବଡ଼ ଅର୍ଥରାଶି ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଥରକେ ଯୋଗାଡ଼ କରିବା ଆଦୌ ସମ୍ଭବପର ନୁହେଁ, ଯାହାଦ୍ୱାରା ଚାଷୀମାନେ ବାଧ୍ୟ ହୋଇ ଏହି ଯୋଜନାରୁ ଓହରି ଯାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ୯୦,୦୦୦ ଟଙ୍କାର ଅଗ୍ରୀମ ଆର୍ଥିକ ବୋଝ ହଟାଇ, ‘ଜାତୀୟ ଦୁଗ୍ଧ ବିକାଶ ବୋର୍ଡ’ (NDDB) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ସହ ସଂଯୋଗ କରି ସବ୍ସିଡି ପ୍ରଦାନର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।
ସଙ୍ଗଠନ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଦେଶର ସର୍ବୋଚ୍ଚ ସଂସ୍ଥା ହୋଇ ମଧ୍ୟ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ରହିଛି। ତେଣୁ ଏହି ବୋର୍ଡକୁ ସିଧାସଳଖ ଭାବେ କାର୍ଯ୍ୟରେ ନିୟୋଜିତ କରି ଜିଲ୍ଲାରେ ଭଲ ବଂଶର ଦେଶୀ ଗାଈ ଯୋଗାଣ ଏବଂ ବୈଷୟିକ ସହାୟତା ପ୍ରଦାନ କରାଯାଉ। ଏହା ସହିତ ଜିଲ୍ଲାରେ ପଞ୍ଚଗବ୍ୟ ଚିକିତ୍ସା, ପ୍ରସାଧନ ସାମଗ୍ରୀ ନିର୍ମାଣ, ଗୋବର ଚାରକୋଲ, ମହାପ୍ରୟାଣ କାଠ ଏବଂ ବାୟୋ ଗେସ୍ ୟୁନିଟ୍ ଆଦିର ତାଲିମ ପ୍ରଦାନ କରାଯାଇ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ (SHG) ଓ ବେରୋଜଗାର ଯୁବକମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବି ହୋଇଛି। ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୃଷକ ପ୍ରତିନିଧି, ପ୍ରାଣୀସମ୍ପଦ ବିଭାଗ, ବ୍ୟାଙ୍କ ଅଧିକାରୀ ଏବଂ NDDB ର ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଡକାଇବାକୁ ନବନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
