ହାଇଟ୍ସ ପରିସରରେ ସପ୍ତାହବ୍ୟାପୀ ଶ୍ରୀମଦ୍ଭାଗବତ ପୁରାଣ ପ୍ରବଚନ ଓ ଭାଗବତ ଗାଥା
ପୁରୀ,ଶ୍ରୀକ୍ଷେତ୍ର ପୁରୀସ୍ଥିତ ବଡ଼ଶଙ୍ଖ ନିକଟ ତ୍ରିମୂର୍ତ୍ତି ହାଇଟ୍ସ ପରିସରରେ ସପ୍ତାହବ୍ୟାପୀ ଶ୍ରୀମଦ୍ଭାଗବତ ପୁରାଣ ପ୍ରବଚନ ଓ ଭାଗବତ ଗାଥା ସଂକୀର୍ତ୍ତନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି ଆଧ୍ୟାତ୍ମିକ ସମାରୋହରେ ଗୁଜରାଟର ତୀର୍ଥଧାମରୁ ଆସିଥିବା ବିଶିଷ୍ଟ କଥାବାଚକ ପଣ୍ଡିତ ବିଶାଲ କୃଷ୍ଣ ଶାସ୍ତ୍ରୀଜୀ ଭାଗବତ କଥାମୃତ ପରିବେଷଣ କରି ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭାବବିହ୍ୱଳ କରିଥିଲେ। କଳିଯୁଗରେ କେବଳ ‘ହରେ କୃଷ୍ଣ’ ମହାମନ୍ତ୍ର ହିଁ ମୁକ୍ତି ଲାଭର ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ଶାସ୍ତ୍ରୀଜୀ ନିଜ ପ୍ରବଚନରେ ପ୍ରକାଶ କରିଥିଲେ।
ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମୁଖ୍ୟ ଯଜମାନ ଅନିରୁଦ୍ଧ ସିଂହ ଏବଂ ଜିଟିପିଏଲ୍ (GTPL) ଚେୟାରମ୍ୟାନ୍ ନାଗୁଭା ଜାଡେଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଶୁଭେଚ୍ଛୁ ଭାବେ ଗୀତାବା ପ୍ରଭୁଜୀ ଉପସ୍ଥିତ ଥିଲେ। ଏହି ଅବସରରେ ଜାଡେଜା ପରିବାର ପକ୍ଷରୁ ଶାସ୍ତ୍ରୀଜୀଙ୍କୁ ଧୂପ, ଦୀପ, ବସ୍ତ୍ର, ଉତ୍ତରୀୟ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
