ଖାଉଟି ଆଦାଲତରୁ ମିଳିଲା ନ୍ୟାୟ
: ବୀମା କମ୍ପାନୀକୁ ୧ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ଖାଉଟି ଅଦାଲତ l
ସୁବର୍ଣ୍ଣପୁର –ଗାଡ଼ି ଦୁର୍ଘଟଣାଜନିତ କ୍ଷୟକ୍ଷତିର ବୀମା ଦାବି ମାମଲାରେ ଖାଉଟିଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ବିବାଦ ନିରାକରଣ ଆୟୋଗ। ବୀମା କମ୍ପାନୀ ପକ୍ଷରୁ ସେବାରେ ତ୍ରୁଟି ଓ ଅନ୍ୟାୟ ବାଣିଜ୍ୟିକ ପ୍ରଥା ଅବଲମ୍ବନ କରାଯାଇଥିବା ଦର୍ଶାଇ ଆୟୋଗ ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି।
ପ୍ରାପ୍ତ ରାୟ ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାର ବଳଦେବ ପ୍ରସାଦ ବେଦବାକଙ୍କ ମାରୁତି X-Cross ଗାଡ଼ିଟି ୨୫ ଫେବୃଆରୀ ୨୦୨୫ ତାରିଖରେ ବୌଦ୍ଧରୁ ସୋନପୁର ଫେରୁଥିବା ସମୟରେ ସୁବଳୟା ନିକଟରେ ଏକ ଧାତବ ପଥର ଖଣ୍ଡ ଗାଡ଼ିରେ ଛିଟିକି ପଡ଼ିବାରୁ ଗାଡ଼ିର ପଛ କାଚ ସମେତ ଅନ୍ୟାନ୍ୟ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଗାଡ଼ିଟିର ବୀମା ଥିବାରୁ ଅଭିଯୋଗକାରୀ ବୀମା କମ୍ପାନୀକୁ ଜଣାଇ ଏହାର ଅନୁମୋଦିତ ଗ୍ୟାରେଜ୍ରେ ମରାମତି କରାଇଥିଲେ।


ଅଭିଯୋଗକାରୀଙ୍କ ଦାବି ଅନୁସାରେ, ଗାଡ଼ିର ମରାମତି ବାବଦରେ ମୋଟ ୧,୫୫,୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ବୀମା କମ୍ପାନୀ ପକ୍ଷରୁ କେବଳ ୭,୪୫୪ ଟଙ୍କା ଦାୟିତ୍ୱ ଗ୍ରହଣ କରାଯାଇଥିବା ଦର୍ଶାଯାଇଥିଲା। ଅବଶିଷ୍ଟ ମରାମତି ଖର୍ଚ୍ଚ ପାଇଁ ଅଭିଯୋଗକାରୀଙ୍କୁ ନିଜ ପକ୍ଷରୁ ୯୫,୦୦୦ ଟଙ୍କା ଦେବାକୁ ପଡ଼ିଥିଲା। ଏହାକୁ ନେଇ ସେ ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଭୟ ପକ୍ଷର ଯୁକ୍ତି, ଦଲିଲ, ଦସ୍ତାବିଜ୍ ଓ ସାକ୍ଷ୍ୟ ପ୍ରମାଣ ବିଚାର କରି ଆୟୋଗ ତାଙ୍କର ୧୩ ଅକ୍ଟୋବର ୨୦୨୬ ତାରିଖର ରାୟରେ ବୀମା କମ୍ପାନୀର ସେବାରେ ତ୍ରୁଟି ଓ ଅନ୍ୟାୟ ବାଣିଜ୍ୟିକ ପ୍ରଥା ଥିବା ନିଷ୍କର୍ଷରେ ପହଞ୍ଚିଥିଲେ। ଅଭିଯୋଗକାରୀ ଗ୍ୟାରେଜ୍କୁ ଦେଇଥିବା ୯୫,୦୦୦ ଟଙ୍କା ଫେରସ୍ତ କରିବାକୁ ସମ୍ପୃକ୍ତ ବୀମା କମ୍ପାନୀର ପକ୍ଷଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମାନସିକ ଯନ୍ତ୍ରଣା ଓ ଆର୍ଥିକ କ୍ଷତି ପାଇଁ ୨୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଆଦେଶ ହୋଇଛି ଓ
ମାମଲାର ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।ଏହିପରି ମୋଟ ୧,୨୫,୦୦୦ ଟଙ୍କା ପ୍ରଦାନ ପାଇଁ ଆୟୋଗ ଆଦେଶ ଦେଇଛନ୍ତି। ଆଦେଶରେ ନିର୍ଦ୍ଧାରିତ ତିନି ମାସ ମଧ୍ୟରେ ଏହା ପାଳନ ନକଲେ ବକେୟା ଅର୍ଥ ଉପରେ ବାର୍ଷିକ ୧୦ ପ୍ରତିଶତ ହାରରେ ସୁଧ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ଏହି ରାୟ ଖାଉଟିଙ୍କ ଅଧିକାର ସୁରକ୍ଷା ଓ ବୀମା ଦାବିରେ ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧର ଗୁରୁତ୍ୱକୁ ପୁଣିଥରେ ପ୍ରତିପାଦିତ କରିଛି। ବୀମା କରାଇଥିବା ଗ୍ରାହକମାନେ ନିଜର ନ୍ୟାୟସଙ୍ଗତ ଦାବି ପୂରଣ ନହେଲେ ଆଇନଗତ ପ୍ରତିକାର ଲୋଡ଼ିପାରିବେ ବୋଲି ଏହି ମାମଲା ଏକ ଉଦାହରଣ ସୃଷ୍ଟି କରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
